ଅନୁଗୋଳ: ଜିଲ୍ଲାରେ ଚାଲିଥିବା ସ୍ବତନ୍ତ୍ର ସଘନ ସଂଶୋଧନ (SIR-2026) ଅଧୀନରେ ଭୋଟର ତାଲିକା ଅପଡେଟ୍ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଜିଲ୍ଲାର ସମୁଦାୟ ୯,୫୩,୭୫୭ ଭୋଟରଙ୍କ ମଧ୍ୟରୁ ୯,୫୦,୬୯୫ ଜଣଙ୍କୁ ପରିଗଣନା ଫର୍ମ ବଣ୍ଟନ କରାଯାଇଛି। ସେଥିମଧ୍ୟରୁ ୯,୦୩,୬୮୯ଟି ଫର୍ମର ଡିଜିଟାଇଜେସନ୍ ସରିଥିବାବେଳେ, ଅବଶିଷ୍ଟ କାର୍ଯ୍ୟ ଖୁବ୍ଶୀଘ୍ର ଶେଷ ହେବ ବୋଲି ପ୍ରଶାସନ ସୂଚନା ଦେଇଛି।
ସୂଚନାଯୋଗ୍ୟ ଯେ, ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀରେ ଏହି ପ୍ରକ୍ରିୟା ସମ୍ପୂର୍ଣ୍ଣ ହୋଇସାରିଛି। ସେହିପରି ମୃତ, ସ୍ଥାନାନ୍ତରିତ ଓ ଅନୁପସ୍ଥିତ (ASD) ଭୋଟରଙ୍କ ତାଲିକାରେ ୪୩,୨୬୩ ଜଣଙ୍କୁ ଚିହ୍ନଟ କରାଯାଇଛି।
ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ, ଜୁନ୍ ୨୫ ସୁଦ୍ଧା ସମସ୍ତ ବୁଥ୍ସ୍ତରୀୟ (BLO-BLA) ବୈଠକ ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଯେଉଁଠାରେ BLA ନାହାନ୍ତି, ସେଠାରେ ସ୍ଥାନୀୟ ବିଶିଷ୍ଟ ବ୍ୟକ୍ତିଙ୍କ ଉପସ୍ଥିତିରେ ବୈଠକ ହେବ। ଏହି ବୈଠକରେ ASDDF ତାଲିକା ଯାଞ୍ଚ ହେବା ସହ ଭୋଟରଙ୍କ ଆପତ୍ତି ଶୁଣାଯିବ। ଭୋଟର ତାଲିକାକୁ ସ୍ୱଚ୍ଛ ଓ ତ୍ରୁଟିମୁକ୍ତ କରିବା ପାଇଁ ଏହି ପ୍ରକ୍ରିୟାରେ ସହଯୋଗ କରିବାକୁ ଜିଲ୍ଲାବାସୀଙ୍କୁ ନିବେଦନ କରାଯାଇଛି।











