ଅନୁଗୋଳ: ଜିଲ୍ଲାରେ ପୁଣି ଥରେ ହାତୀ ଆତଙ୍କ। ବୁଧବାର ସକାଳେ ଅନୁଗୋଳ ସଦର ରେଞ୍ଜ ଶରଧାପୁର ଗାଁରେ ଏକ ଜଙ୍ଗଲୀ ଦନ୍ତା ହାତୀ ଆକ୍ରମଣରେ ଗୁଲ ସାହୁ (୫୦) ନାମ୍ନୀ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି।
ସୂଚନା ଅନୁଯାୟୀ, ଗୁଲ ସାହୁ ତାଙ୍କ ଭାଉଜ ହେଲେନ ସାହୁଙ୍କ ସହ ଗାଁ ନିକଟସ୍ଥ ଭାଲୁଖାଇ ନାଳକୁ ଗାଧୋଇବାକୁ ଯାଇଥିଲେ। ଗାଧୋଇ ଘରକୁ ଫେରୁଥିବା ବେଳେ ଅଚାନକ ସେଠାରେ ଥିବା ଏକ ଦନ୍ତା ହାତୀ ସେମାନଙ୍କୁ ଆକ୍ରମଣ କରିଥିଲା। ହେଲେନ କୌଶଳକ୍ରମେ ବର୍ତ୍ତି ଯାଇଥିବା ବେଳେ ହାତୀଟି ଗୁଲଙ୍କୁ ଶୁଣ୍ଢରେ ଟେକି କଚାଡି ଦେଇଥିଲା, ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା।
ଗତ ସୋମବାର ଜଗନ୍ନାଥପୁରରେ ଜଣେ ହାତୀ ଜଗୁଆଳିଙ୍କ ମୃତ୍ୟୁର ଦୁଇ ଦିନ ପରେ ଏଭଳି ଘଟଣା ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି କରିଛି। ବାରମ୍ବାର ହାତୀ ଆକ୍ରମଣ ଓ ବନବିଭାଗର ଅବହେଳାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ବନବିଭାଗ କର୍ମଚାରୀ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି।











