ଅନୁଗୋଳ: ତାଳଚେର ବ୍ଲକ ଅନ୍ତର୍ଗତ କଳମଛୁଇଁ ଗ୍ରାମରେ ଗୋପବନ୍ଧୁ ମାନବ କଲ୍ୟାଣ ସମିତି ଦ୍ୱାରା ପରିଚାଳିତ ‘ଗୋପବନ୍ଧୁ ଜରାଶ୍ରମ’କୁ ଆଜି ଅନୁଗୁଳ ଜିଲ୍ଲା ବିଜୁ ଜନତା ଦଳ ସଭାପତି ତଥା ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ ପରିଦର୍ଶନ କରିଛନ୍ତି।
ଜରାଶ୍ରମରେ ଆଶ୍ରୟ ନେଇଥିବା ବୟସ୍କ ଗୁରୁଜନମାନଙ୍କୁ ଭେଟି ବିଧାୟକ ଶ୍ରୀ ପ୍ରଧାନ ସେମାନଙ୍କ ସୁଖ-ଦୁଃଖ, ସ୍ୱାସ୍ଥ୍ୟ ଓ ଦୈନନ୍ଦିନ ସୁବିଧା ଅସୁବିଧା ସମ୍ପର୍କରେ ପଚାରି ବୁଝିଥିଲେ। କିଛି ସମୟ ଅନ୍ତେବାସୀଙ୍କ ସହ ବିତାଇ ସେ ସେମାନଙ୍କ ସ୍ନେହ ଓ ଆଶୀର୍ବାଦ କାମନା କରିଥିଲେ।
ଏହି ଅବସରରେ ବିଧାୟକ ଜରାଶ୍ରମ ପରିଚାଳନା କମିଟି ସଦସ୍ୟଙ୍କ ସହ ବୟସ୍କଙ୍କ ଖାଦ୍ୟ, ଚିକିତ୍ସା ଓ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା ସମ୍ପର୍କରେ ଆଲୋଚନା କରିଥିଲେ। ଜରାଶ୍ରମର ଉନ୍ନତି ପାଇଁ ସମସ୍ତ ସହଯୋଗ ଯୋଗାଇ ଦିଆଯିବ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ।
“ବାପା-ମା’ ଓ ଗୁରୁଜନଙ୍କ ସେବା ହିଁ ସବୁଠାରୁ ବଡ଼ ଧର୍ମ। ସମାଜ ପାଇଁ ଜୀବନ ଉତ୍ସର୍ଗ କରିଥିବା ଏହି ବୟସ୍କ ମଣିଷମାନଙ୍କ ଶେଷ ଜୀବନ ଯେପରି ସୁଖମୟ ହୁଏ, ସେଥିପାଇଁ ଆମେ ସମସ୍ତେ ଯତ୍ନବାନ ହେବା ଉଚିତ,” ବୋଲି ବିଧାୟକ କହିଥିଲେ।
ଏହି ପରିଦର୍ଶନ ସମୟରେ ସ୍ଥାନୀୟ ବିଜେଡି କର୍ମୀ, ଗୋପବନ୍ଧୁ ମାନବ କଲ୍ୟାଣ ସମିତିର କର୍ମକର୍ତ୍ତା ଓ ଗ୍ରାମର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।











