ଅନୁଗୁଳ: ଅନୁଗୁଳ ଜିଲ୍ଲା ପାଳଲହଡ଼ା ବ୍ଲକ ସଇଡ଼ା ପଞ୍ଚାୟତ ଜୋଲଣ୍ଡା ଗାଁ ସାପ୍ତାହିକ ହାଟରେ ଦେଖିବାକୁ ମିଳିଛି ଦୁର୍ନୀତିର ଚିତ୍ର। ମାସେ ତଳେ ପ୍ରାୟ ଦେଢ଼ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ହୋଇଥିବା ବ୍ୟବସାୟୀ ସେଡ୍ଟି ସାମାନ୍ୟ ପବନରେ ଧରାଶାୟୀ ହୋଇଯାଇଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇବା ସହ ନିର୍ମାଣ କାର୍ଯ୍ୟର ମାନ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ସୂଚନା ଅନୁସାରେ, ପଞ୍ଚମ ରାଜ୍ୟ ଅର୍ଥ କମିଶନ ଅନୁଦାନରେ ଗତ ଏପ୍ରିଲ ମାସରେ ଏହି କାମ ଶେଷ ହୋଇ ଅର୍ଥ ମଧ୍ୟ ଉଠାଯାଇଥିଲା। ତତ୍କାଳୀନ ପଞ୍ଚାୟତ ନିର୍ବାହୀ ଅଧିକାରୀ ରଜନୀ ପ୍ରଧାନଙ୍କ ନାମରେ କାର୍ଯ୍ୟାଦେଶ ଥିବା ବେଳେ କନିଷ୍ଠ ଯନ୍ତ୍ରୀଙ୍କ ତଦାରଖରେ ସରପଞ୍ଚ ଏହି ଦେୟ ପ୍ରଦାନ କରିଥିଲେ। ମାତ୍ର ମାସେ ନପୂରୁଣୁ ପିଣ୍ଡି ସହ କଲମ୍ ଓ ଆଜବେଷ୍ଟସ୍ ଭାଙ୍ଗିଯିବା ଯାନ୍ତ୍ରିକ ବିଭାଗ ଓ ପ୍ରଶାସନର କାର୍ଯ୍ୟଦକ୍ଷତାକୁ ପଦାରେ ପକାଇଛି। ଏ ସମ୍ପର୍କରେ କନିଷ୍ଠ ଯନ୍ତ୍ରୀ ନୁରୁଲ ହୋସେନ ଖାନଙ୍କୁ ପଚାରିବାରୁ, ପବନ ଯୋଗୁଁ ଏହା ଭାଙ୍ଗିଛି ଏବଂ ଏହାକୁ ପୁଣିଥରେ ନିର୍ମାଣ କରାଯିବ ବୋଲି ସେ ସଫେଇ ଦେଇଛନ୍ତି। ପାଳଲହଡ଼ା ପ୍ରଶାସନ ଏହାର ନିରପେକ୍ଷ ତଦନ୍ତ କରିବାକୁ ଦାବି ହେଉଛି।











