ଶ୍ମଶାନରେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଫଟୋ ଝୁଲାଇଲା ଛାତ୍ର କଂଗ୍ରେସ

You are currently viewing ଶ୍ମଶାନରେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଫଟୋ ଝୁଲାଇଲା ଛାତ୍ର କଂଗ୍ରେସ

ଅନୁଗୁଳ: କରୋନା ଟିକାକୁ ନେଇ ଉଭୟ ବିଜେପି ଓ ବିଜେଡିର ଫଟୋ ରାଜନୀତି ଜାରି ରହିଛି। ଟିକା ସାର୍ଟିଫିକେଟ୍‌ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋ ରହୁଥିବା ବେଳେ ଟିକା କେନ୍ଦ୍ରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଫଟୋ ଛାଇଯାଇଛି। ଏହାକୁ ନେଇ ଉଭୟ ବିଜେଡି ଓ ବିଜେପି ମଧ୍ୟରେ ଛକାପଞ୍ଝା ଲାଗିରହିଛି । ଉଭୟ ଦଳର ଆତ୍ମପ୍ରଚାର କରୁଥିବା ଅଭିଯୋଗ ଆଣିବା ସହ ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ଲୁଲୁ ପାଣିଗ୍ରାହୀଙ୍କ ନେତୃତ୍ୱରେ ସୋମବାର ପ୍ରତିବାଦ କରିଛି। ଦଳୀୟ କର୍ମୀ ପୌର କାର୍ଯ୍ୟାଳୟରୁ ଏକ ଶୋଭାଯାତ୍ରାରେ ବାହାରି କରଡ଼ାଗାଡ଼ିଆ ଶ୍ମଶାନରେ ଉଭୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଫଟୋ ଝୁଲାଇଛି। ଯଦି ଟିକାକରଣର ଶ୍ରେୟ ନେବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଲଢ଼େଇ କରୁଛନ୍ତି, ତେବେ କରୋନା ବିଫଳତାକୁ ମଧ୍ୟ ମୁଣ୍ଡାନ୍ତୁ ବୋଲି ଦଳ ଦାବି କରିଛି । କରୋନା ନିୟନ୍ତ୍ରଣରେ ବିଫଳତା ଓ କରୋନା ଜନିତ ମୃତ୍ୟ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଦାୟୀ ବୋଲି ଛାତ୍ର କଂଗ୍ରେସ ଅଭିଯୋଗ କରିଛି। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ କାଉନସିଲର ବଲବୀର ସିଂହ, ଯୁବକଂଗ୍ରେସ ସଭାପତି ଲୁଟୁ ରଞ୍ଜନ ଥାପ୍ପା, ରାଜ୍ୟ ଛାତ୍ର କଂଗ୍ରେସ କାର୍ଯ୍ୟକାରିଣୀ ସଦସ୍ୟ ପ୍ରଦ୍ୟୁମ୍ନ ସାହୁ, ଅଭିଷେକ ନାୟକ, ସଂଗ୍ରାମ ବେହେରା, ସିମ୍ସ ଜେନା, ମାନସ ରଞ୍ଜନ ବିଶ୍ୱାଳ, ଦିନେଶ ସାହୁ, ଶୁଭଦୀପ ଗାଙ୍ଗୁଲି, ସମୀର ସାହ ପ୍ରମୁଖ ଉପସ୍ଥିତ ଥିଲେ।

Share

Leave a Reply