ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ୍ ଅଞ୍ଚଳରେ ବେଆଇନ ଇଟାଭାଟି ପାଲଟିଛି କୁଟୀରଶିଳ୍ପ । ପ୍ରତ୍ୟେକ ଗାଁରେ ଶହଶହ ସଂଖ୍ୟାରେ ମାଟିଇଟା ଭାଟି କରାଯାଇ ଖୋଲାଖୋଲି ବ୍ୟବସାୟ ହେଉଛି। ହେଲେ ଏହି ବେଆଇନ୍ କାରବାରରେ ରୋକ ଲଗାଇବାରେ ପ୍ରଶାସନ ସମ୍ପୂର୍ଣ୍ଣ ବିଫଳ ହୋଇଛି । ଛେଣ୍ଡିପଦା ବ୍ଲକ୍ ଅନ୍ତର୍ଗତ ବାହାଳସାହି ଗାଁ ତହସିଲ କାର୍ଯ୍ୟାଳୟ ଓ ଥାନାଠାରୁ ମାତ୍ର ୩/୪ କିଲୋମିଟର ଦୁରରେ ଅବସ୍ଥିତ । ଏଠାରେ ପ୍ରତ୍ୟେକ ମାସରେ ଶହଶହ ସଂଖ୍ୟାରେ ଇଟାଭାଟି ନିର୍ମାଣ କରାଯାଉଛି । ଗାଁରେ ବେଆଇନ କୋଇଲା ଖାତ କରାଯାଇ ସେଥିରୁ ସହଜରେ କୋଇଲା ଉତ୍ତୋଳନ କରାଯାଉଛି । ପାଖ ଅଞ୍ଚଳରୁ ମାଟି ଅଣାଯାଇ ଇଟା ଗଢ଼ାଯାଉଛି । କୋଇଲା ଇଟାଭାଟି ପରିବେଶ ପାଇଁ ପ୍ରତିକୂଳ ଅଟେ । ଏହା ଦ୍ୱାରା ମୃତିକା କ୍ଷୟ ହୋଇଥାଏ । ମାଟି ଇଟା ନିର୍ମାଣ ଓ ଭାଟି ପୋଡ଼ିବାକୁ ସରକାର ବବାରଣ କରାଯାଇଛି । ଏହାକୁ ରୋକ ଲଗାଇବା ପାଇଁ ସରକାରଙ୍କ ତରଫରୁ କଠୋର ବିଧି ବ୍ୟବସ୍ଥା ରହିଛି । ସରକାରୀ ଆଇନକୁ କାର୍ଯ୍ୟକାରୀ କରାଇବା ପାଇଁ ରାଜସ୍ୱ ବିଭାଗକୁ ଦାୟିତ୍ୱ ଦିଆଯାଇଛି । କିନ୍ତୁ ଏହାକୁ ରୋକିବା ଦିଗରେ ଛେଣ୍ଡିପଦା ତହସିଲ ତରଫରୁ କୌଣସି ପଦକ୍ଷେପ ନିଆଯାଉନାହିଁ ।
ତେବେ କିଛିସ୍ଥାନୀୟ ଲୋକ କହିଛନ୍ତି ସମସ୍ତଙ୍କ ଜାଣତରେ ଏହି ବେଆଇନ ଇଟାଭାଟି କରାଯାଉଛି । କେବଳ ମାର୍ଚ୍ଚମାସ ଆସିଲେ କିଛି ଭାଟି ମାଲିକଙ୍କ ନାମରେ ଜୋରିମାନା କରାଯାଏ । କାଗଜପତ୍ରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ବୋଲି ଦେଖାଇବା ଉଦେଶ୍ୟରେ ଏହା କରାଯାଉଛି । ଏହି ଇଟା ବ୍ୟସାୟରୁ ମିଳୁଥିବା ଅର୍ଥକୁ ଭାଗବଣ୍ଟା କରାଯାଉଛି ବୋଲି ସାଧାରଣରେ ଆଲୋଚନା ହେଉଛି । ଏହି ଇଟାଭାଟି ପାଇଁ ଆସୁଥିବା ମାଟିର ରୟାଲ୍ଟି ବାବଦ ରାଜସ୍ୱ ସରକାର ହରାଉଥିବା ବେଳେ, କୋଇଲାର ବେଆଇନ କାରବାର ଅତିମାତ୍ରାରେ ରଜସ୍ୱ ହରାଉଛି ଖଣି ବିଭାଗ । ଏ ନେଇ ଛେଣ୍ଡିପଦା ତହସିଲଦାର ଡ଼ାନିଏଲ ଏକ୍କାଙ୍କୁ ଯୋଗାଯୋଗ କରାଯିବାରୁ ସେ କହିଥିଲେ ଯେ, ବାହାଳସାହିରେ ଅତିମାତ୍ରାରେ ବେଆଇନ ଇଟାଭାଟି ହୋଇଛି । ଇଟାଭାଟି ମାଲିକ ମାନଙ୍କଠାରୁ ଜୋରିମାନା ଆଦାୟ କରାଯାଇଛି । ହେଲେ ଲୋକ ମାନୁନାହାନ୍ତି। ତେବେ ଏହାକୁ ରୋକିବା ପାଇଁ ଉଦ୍ୟମ କରାଯାଉଛି ବୋଲି ଶ୍ରୀ ଏକ୍କା କହିଛନ୍ତି ।