ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକର ସାମଗ୍ରିକ ବିକାଶ ପାଇଁ ଟାଟା ଷ୍ଟିଲ୍ ଫାଉଣ୍ଡେସନ ପକ୍ଷରୁ ଏକାଧିକ ଜନକଲ୍ୟାଣକାରୀ ପ୍ରକଳ୍ପର ଶୁଭାରମ୍ଭ କରାଯାଇଛି। ସ୍ଥାନୀୟ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ପ୍ରକଳ୍ପଗୁଡ଼ିକୁ ଉଦଘାଟନ କରିଥିବା ବେଳେ ଏହାଦ୍ୱାରା ଅଞ୍ଚଳର ପ୍ରାୟ ୨୪ ହଜାରରୁ ଅଧିକ ଜନସାଧାରଣ ଉପକୃତ ହେବେ। ବିଶେଷ କରି ସନ୍ତ୍ରୀ ଛକରୁ ହାତୁରା ପର୍ଯ୍ୟନ୍ତ ୨୦ କିଲୋମିଟର ରାସ୍ତାରେ ୪୬୬ଟି ସୌରଚାଳିତ ଷ୍ଟ୍ରିଟ୍ ଲାଇଟ୍ ବ୍ୟବସ୍ଥା କରାଯାଇଛି, ଯାହା ହାତୀ-ମଣିଷ ସଂଘର୍ଷ ରୋକିବା ସହ ଗ୍ରାମବାସୀଙ୍କୁ ସୁରକ୍ଷା ପ୍ରଦାନ କରିବ।
ଏହା ସହିତ ବଅଁରପାଳଠାରେ ଏକ ଆଧୁନିକ ମାର୍କେଟ କମ୍ପ୍ଲେକ୍ସ ଓ ସର୍ବସାଧାରଣ ଆଶ୍ରୟସ୍ଥଳ ନିର୍ମାଣ କରାଯାଇ ଯାତ୍ରୀ ଓ ସ୍ଥାନୀୟ ଲୋକଙ୍କ ପାଇଁ ସୁବିଧା ସୁଯୋଗ ସୃଷ୍ଟି କରାଯାଇଛି। ଶିକ୍ଷା କ୍ଷେତ୍ରରେ ପିଏସ୍ଏସ୍ଜେ ମହାବିଦ୍ୟାଳୟରେ ନୂତନ ବିଜ୍ଞାନ ପରୀକ୍ଷାଗାର ଏବଂ ୫ କିଲୋୱାଟର ରୁଫ୍ଟପ୍ ସୋଲାର ସିଷ୍ଟମ ସ୍ଥାପନ କରାଯାଇ ଛାତ୍ରଛାତ୍ରୀଙ୍କୁ ଉନ୍ନତ ଶିକ୍ଷାଦାନର ସୁଯୋଗ ଦିଆଯାଇଛି। କାର୍ଯ୍ୟକ୍ରମରେ ବଅଁରପାଳ ବିଡିଓ ଓ ତାମଡା ସେକ୍ରେଟାରୀଙ୍କ ସମେତ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।











