ଅନୁଗୋଳ: ଗୋଚର ଜମି ଜବରଦଖଲମୁକ୍ତ କରିବା ସହ ଗୋଦାବରୀଶ ଆଦର୍ଶ ବିଦ୍ୟାଳୟ ସ୍ଥାପନ ପାଇଁ ଜମି ଯୋଗାଇଦେବା ଦାବିରେ ମଙ୍ଗଳବାର ସ୍ଥାନୀୟ ରାଣୀଗୋଡ଼ା ପଞ୍ଚାୟତବାସୀଙ୍କ ପକ୍ଷରୁ ଏକ ବିଶାଳ ବିକ୍ଷୋଭ ରାଲି ଅନୁଷ୍ଠିତ ହୋଇଛି। ପଞ୍ଚାୟତର ବିଭିନ୍ନ ଗ୍ରାମରୁ ପ୍ରାୟ ଏକ ହଜାରରୁ ଊର୍ଦ୍ଧ୍ୱ ମହିଳା ଓ ପୁରୁଷ ଏହି ରାଲିରେ ସାମିଲ ହୋଇଥିଲେ।
ରାଣୀଗୋଡ଼ା ଜଗନ୍ନାଥ ମନ୍ଦିରଠାରୁ ଏକ ବିଶାଳ ରାଲି ବାହାରି ସହର ପରିକ୍ରମା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲା।
ଗ୍ରାମବାସୀମାନେ ‘ଜନତାଙ୍କ ଜମି ଜନତାଙ୍କୁ ଫେରାଅ’ ନାରା ଦେବା ସହ ଜବରଦଖଲ ଉଚ୍ଛେଦ ଦାବିରେ ଜୋରଦାର ପ୍ରଦର୍ଶନ କରିଥିଲେ। ରାଣୀଗୋଡ଼ା ଜଙ୍ଗଲ ମୌଜାରେ ପ୍ରାୟ ୪୧ ଏକର ୧୨ ଡିସିମିଲ ଗୋଚର ଜମି ରହିଥିବାବେଳେ ଏହି ଜମି ମଧ୍ୟରୁ ଗୋଦାବରୀଶ ଆଦର୍ଶ ବିଦ୍ୟାଳୟ ସ୍ଥାପନ ପାଇଁ ଆବଶ୍ୟକ ଜମି ଯୋଗାଇଦେବାକୁ ଦାବି କରାଯାଇଛି।
ବିକ୍ଷୋଭ ପ୍ରଦର୍ଶନ ପରେ ଗ୍ରାମବାସୀଙ୍କ ଏକ ପ୍ରତିନିଧି ଦଳ ଅତିରିକ୍ତ ଜିଲ୍ଲାପାଳଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଥିଲେ। ଗୋଚର ଜମିରେ ଥିବା ଜବରଦଖଲକୁ ଯଥାଶୀଘ୍ର ଚିହ୍ନଟ କରି ଉଚ୍ଛେଦ କରିବା ଏବଂ ବିଦ୍ୟାଳୟ ପାଇଁ ଜମି ଆବଣ୍ଟନ କରିବାକୁ ସେମାନେ ଦାବି କରିଛନ୍ତି।











