ଅନୁଗୋଳ: ଆସନ୍ତାକାଲି ଅର୍ଥାତ୍ ଅଗଷ୍ଟ ୧୨ ତାରିଖ ବୁଧବାର ଦିନ ଅନୁଗୋଳ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଜିଲ୍ଲା ବନ୍ଦ ଡାକରା ଦିଆଯାଇଛି। ଜିଲ୍ଲାରେ ବୃଦ୍ଧି ପାଉଥିବା ପ୍ରଦୂଷଣ ଏବଂ ବିଭିନ୍ନ ଗୁରୁତର ସମସ୍ୟାର ସମାଧାନ ଦାବିରେ ଏହି ବନ୍ଦ ପାଳନ କରାଯାଉଛି।
ଅନୁଗୋଳ ଜିଲ୍ଲାରେ ଖଣି ଖାଦାନ ଏବଂ କୋଇଲା ପରିବହନ ଯୋଗୁଁ ବାୟୁ ଓ ଶବ୍ଦ ପ୍ରଦୂଷଣ ଚରମ ସୀମାରେ ପହଞ୍ଚିଥିବାବେଳେ ସଡ଼କ ସୁରକ୍ଷା ଏବଂ ପରିବେଶ ସୁରକ୍ଷା ଏକ ବଡ଼ ଚିନ୍ତାର କାରଣ ହୋଇଛି। ଏହା ସହିତ ପରିବେଶ ସୁରକ୍ଷା ଆନ୍ଦୋଳନରେ ସାମିଲ୍ ଥିବାରୁ ମିଥ୍ୟା ମାମଲାରେ ଗିରଫ ହୋଇ କୋଶଳା ଗ୍ରାମର ବାସୀମାନେ ୧୨୨ ଦିନରୁ ଅଧିକ ସମୟ ଧରି ଜେଲରେ ରହିବା ସାଧାରଣ ଜନଜୀବନକୁ ଗଭୀର ଭାବେ ପ୍ରଭାବିତ କରିଛି।
ଜନଜୀବନକୁ ପ୍ରଭାବିତ କରୁଥିବା ଏହିସବୁ ସମସ୍ୟା ସମ୍ପର୍କରେ ଜିଲ୍ଲା ପ୍ରଶାସନ ସମ୍ମୁଖରେ ବାରମ୍ବାର ଦାବି ଉପସ୍ଥାପନ କରାଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କୌଣସି ସମାଧାନ ହୋଇପାରି ନାହିଁ। ତେଣୁ ଜିଲ୍ଲାର ବୃହତ୍ ସ୍ବାର୍ଥ ଏବଂ ଜନସାଧାରଣଙ୍କ ସମସ୍ୟାର ସମାଧାନ ନିମନ୍ତେ ଅନୁଗୋଳ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଦିଆଯାଇଥିବା ଏହି ବନ୍ଦ ଡାକରାରେ ସହଯୋଗ କରିବାକୁ ନିବେଦନ କରାଯାଇଛି।











