କ୍ବାର୍ଟର୍ସରୁ ଯନ୍ତ୍ରୀଙ୍କ ଝୁଲନ୍ତା ମୃତଦେହ ଜବତ

You are currently viewing କ୍ବାର୍ଟର୍ସରୁ ଯନ୍ତ୍ରୀଙ୍କ ଝୁଲନ୍ତା ମୃତଦେହ ଜବତ

ଅନୁଗୁଳ: କଣିହାଁ ବ୍ଲକ୍ ରେଙ୍ଗାଳି ପ୍ରକଳ୍ପ ଇଲେକ୍ଟ୍ରିକାଲ କଲୋନିର ଏକ କ୍ବାର୍ଟର୍ସ ପରିସରରୁ ଟିପିସିଓଡିଏଲ୍ କନିଷ୍ଠଯନ୍ତ୍ରୀଙ୍କ ମୃତଦେହ ଗୁରୁବାର ଉଦ୍ଧାର ହୋଇଛି। ମୃତ କନିଷ୍ଠଯନ୍ତ୍ରୀ ବୀରେନ୍ କୁମାର ବେଉରିଆ (୨୩) ଓ ତାଙ୍କ ଘର ଯାଜପୁର ଜିଲ୍ଲା ବିଞ୍ଝାରପୁର ଥାନା ଟିଣା ଗ୍ରାମରେ ବୋଲି ଜଣାପଡ଼ିଛି । ପ୍ରକାଶ ଯେ, ଗୁରୁବାର ସକାଳେ ଅଫିସରେ କର୍ମଚାରୀଙ୍କ ସହ ଏକ ବୈଠକ ଅନୁଷ୍ଠିତ ହେବାର ଥିଲା। କନିଷ୍ଠଯନ୍ତ୍ରୀ ଶ୍ରୀ ବେଉରିଆଙ୍କର ଅଫିସ୍ ଆସିବାରେ ବିଳମ୍ବ ହେବାରୁ କର୍ମଚାରୀମାନେ ବାରମ୍ବାର ଫୋନ୍ କରିଥିଲେ। ହେଲେ ସେ ମୋବାଇଲ ରିସିଭ୍ ନକରିବାରୁ କର୍ମଚାରୀମାନେ କ୍ବାର୍ଟର୍ସ (ଏଫ୍-୨୦୨)କୁ ଆସିଥିଲେ । କ୍ବାର୍ଟର୍ସ ଗେଟ୍ ଭିତରପଟୁ ବନ୍ଦ ରହିଥିବା ବେଳେ ଶୋଇବା ଘର ଝରକା ଖୋଲା ଥିବାରୁ ପରଦା ଆଡ଼େଇ ଦେଖିଲା ବେଳକୁ ଫ୍ୟାନ୍‌ରେ କନିଷ୍ଠ ଯନ୍ତ୍ରୀଙ୍କ ମୃତଦେହ ଝୁଲୁଥିଲା । କର୍ମଚାରୀଙ୍କ ଠାରୁ ଖବର ପାଇ ବିଭାଗୀୟ ସହକାରୀ ଯନ୍ତ୍ରୀ ସୁଶିଲ କୁମାର ଦାସ ମଧ୍ୟାହ୍ନରେ ରେଙ୍ଗାଳି ଥାନାରେ ଏ ସଂକ୍ରାନ୍ତରେ ଲିଖିତ ଭାବରେ ଅବଗତ କରିଥିଲେ। ରେଙ୍ଗାଳି ପୁଲିସ ମୃତଯନ୍ତ୍ରୀଙ୍କ ପରିବାର ଲୋକଙ୍କୁ ଘଟଣା ସମ୍ପର୍କରେ ଅବଗତ କରାଇଥିଲା। ପରିବାର ଲୋକ ପହଞ୍ଚିବା ପରେ ପରବର୍ତୀ ପଦକ୍ଷେପ ଗ୍ରହଣ କାରାଯିବ ବୋଲି ପୁଲିସ ପ୍ରକାଶ କରିଛି ।

Share

Leave a Reply