ଅନୁଗୁଳ: ଛିଣ୍ଡି ପଡ଼ିଥିବା ବିଦ୍ୟୁତ ତାର ସାଜିଲା କାଳ। ନାତୁଣୀକୁ ମୃତ୍ୟୁ ମୁଖରୁ ବଞ୍ଚାଇବାକୁ ଯାଇ ବିଦ୍ୟୁତ ଆଘାତରେ ପ୍ରାଣ ହରାଇଛନ୍ତି ଜଣେ ବୃଦ୍ଧ। ଏଭଳି ଏକ ହୃଦୟବିଦାରକ ଘଟଣା ଘଟିଛି ଆଠମଲ୍ଲିକ ଉପଖଣ୍ଡ ଠାକୁରଗଡ଼ ଥାନା ପାଇକସାହି ପଞ୍ଚାୟତ ଜଗଦଲପୁର ଗ୍ରାମରେ।
ସୂଚନା ଅନୁଯାୟୀ, ଗତକାଲି ରାତିରେ ଛିଣ୍ଡି ପଡ଼ିଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯାଇଥିଲେ ୧୭ ବର୍ଷୀୟା ନାତୁଣୀ ତୁଳସୀ ସାହୁ। ସକାଳୁ ଘର ବାହାର ଝାଡ଼ୁ କରୁଥିବା ବେଳେ ସେ ତାରଟିକୁ ଉଠାଇବାକୁ ଚେଷ୍ଟା କରି ବିଦ୍ୟୁତ ଝଟକା ପାଇଥିଲେ। ନାତୁଣୀକୁ ରକ୍ଷା କରିବାକୁ ଯାଇ ଅଜା ରତ୍ନାକର ସାହୁ ତାରକୁ ଧରି ପକାଇବାରୁ ଉଭୟ ଗୁରୁତର ହୋଇଥିଲେ। ସ୍ଥାନୀୟ ଲୋକଙ୍କ ସହାୟତାରେ ତାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ଅନୁଗୁଳ ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ସେଠାରେ ଡାକ୍ତର ରତ୍ନାକରଙ୍କୁ ମୃତ ଘୋଷଣା କରିଥିବା ବେଳେ ତୁଳସୀ ଏବେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି।
ଏହି ଘଟଣାରେ ସ୍ଥାନୀୟ ଜନପ୍ରତିନିଧି ଓ ବହୁ ବିଶିଷ୍ଟ ବ୍ୟକ୍ତି ଗଭୀର ଶୋକ ପ୍ରକାଶ କରିବା ସହ ପରିବାରକୁ ସମବେଦନା ଜଣାଇଛନ୍ତି। ଅନୁଗୁଳ ଟାଉନ ଥାନା ପୋଲିସ ଏକ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରିଛି।











