ଅନୁଗୁଳ: ଅନୁଗୁଳ ଜିଲ୍ଲା ପାଳଲହଡ଼ା ପଞ୍ଚାୟତ ସମିତିର ସପ୍ତମ ଅଧିବେଶନ ଉପଜିଲ୍ଲାପାଳଙ୍କ ସଭାଗୃହରେ ଅଧ୍ୟକ୍ଷା ରୀନାରାଣୀ ନାଏକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଅଶୋକ ମହାନ୍ତି ଯୋଗଦେଇ ବିକାଶ କାର୍ଯ୍ୟରେ ଅବହେଳା କରୁଥିବା ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।
ବୈଠକରେ ଶିକ୍ଷା, ସ୍ୱାସ୍ଥ୍ୟ, କୃଷି ଓ ପାନୀୟ ଜଳ ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହୋଇଥିଲା। ବିଶେଷ କରି ଜରାୟୁ କ୍ୟାନ୍ସର ପ୍ରତିରୋଧ ପାଇଁ ୧୪ ବର୍ଷର ଝିଅଙ୍କୁ ଟିକାକରଣ ଏବଂ ‘ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ଯୋଜନା’ ଉପରେ ଗୁରୁତ୍ୱ ଦିଆଯାଇଥିଲା। ମେଗା ପାନୀୟ ଜଳ ପ୍ରକଳ୍ପର ମନ୍ଥର ଗତି ଓ କୃଷି ବିଭାଗର କାର୍ଯ୍ୟଶୈଳୀକୁ ନେଇ ଜନପ୍ରତିନିଧିମାନେ ଅସନ୍ତୋଷ ପ୍ରକାଶ କରିଥିଲେ। ରାଜନୀତିରୁ ଊର୍ଦ୍ଧ୍ୱରେ ରହି ପାଳଲହଡ଼ାର ପ୍ରଗତି ପାଇଁ ସମସ୍ତେ ମିଳିମିଶି କାର୍ଯ୍ୟ କରିବାକୁ ବିଧାୟକ ଆହ୍ୱାନ ଦେଇଥିଲେ। ଏଥିରେ ଉପଜିଲ୍ଲାପାଳ, ବିଡିଓ ଓ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ।











